Unknown

 

 

 

 

 

 

 

 

 

କର୍ଣ୍ଣ-ଦାନ ପରୀକ୍ଷା

ଗଣକବି ବୈଷ୍ଣବ ପାଣି

 

(ନଟୀର ପ୍ରବେଶ - ଗୀତ)

କଳବଳ ରବେ କେତେ ଡ଼ାକୁ କାଳକଣ୍ଟକ । ଜାଣିଛି ତୁ ଏ ଜଗତେ ବିରହିଣୀ କଣ୍ଟକ ।ପଦ। ନିବିଡ଼ ଘନ କାଳକୁ ନିରେଖି ଡ଼ୋଳେ । ଘନଘନ ରାବ ଦେଉ ପଙ୍କିଳ ଜଳେ । ଆସନତେ ସିଂହ-ଶରଦ ସରିବ ତୋ ଛଟକ ।୧। ପକ୍ଷ ବହି ବିପକ୍ଷରେ ଆଚର ନାହିଁ । ଏ ସଂସାରେ ତୋତେ ଲକ୍ଷ୍ୟ ଦେବି ମୁଁ କାହିଁ । ଥାଉଁ ତୁ ବ୍ୟାଧବନ୍ଧନେ ନାଶୁ ଜ୍ଞାତିପାଟକ ।୨। ସେହିପରି ରାବୁ ବୋଲି ମନ-ଗରବେ । ବଂଶମରା ଡାହୁକ କହନ୍ତି ସରବେ । ବଇ କହି ତୁ ବିଟପୀ-ବିଟପଙ୍କ ଘଟକ ।୩।

(ନଟର ପ୍ରବେଶ)

ନଟ

-

ନଟୀ-ଶିରୋମଣି ! ଆଜି କଅଣ ମନେକରି ଏ ନୂଆ ଭାବର କବିତାଟିକି ଗାଉଥିଲ ? ଡାହୁକ ସମ୍ବନ୍ଧେ ଆଉ କେବେ ତ ଗୀତ ରଚନା କରିବା ମୁଁ ତୁମ୍ଭ ମୁଖରୁ ଶୁଣିନାହିଁ । ବୋଧହୁଏ ରସାରେ ବରଷା ଋତୁ ଦେଖି, ସେ ରାବ ଶୁଣି ଏ ଭାବ ଉଦେହୋଇଛି । ପ୍ରକୃତରେ ବିରହୀ-ବିରହିଣୀଙ୍କର କାମ ପ୍ରଭାବ ବଢ଼ାଇବାର ଦଶଗୁଣ ଶକ୍ତି ଏ ପକ୍ଷୀଠାରେ ଅଛି । ଧନ୍ୟ ତୁମ୍ଭର ଅନୁଭବତା ! ତା’ ନ ହେଲେ କି କବିତାଛଟାରେ ଜଗତର ନରନାରୀଙ୍କ ମନକୁ ଭୁଲାଇଥାନ୍ତ ! ଧନ୍ୟ ତୁମ୍ଭର ଜଗତମୋହିନୀ ଶକ୍ତି !!

ନଟୀ

-

ନାଥ ! ସବୁ ତୁମ୍ଭରି ଦୟାରୁ । ଲତା ଯେପରି ବୃକ୍ଷରେ ଜଡ଼ି ତାହାର ବଳକୁ ଦୃଢୀଭୂତ କରେ, ସେହିପରି ଏ ଦାସୀ ତୁମ୍ଭରି ବଳରେ ନିଜ ବଳକୁ ବଢ଼ାଇ, ଜଗତଜନଙ୍କୁ କବିତାରଜ୍ଜୁରେ ଗୁଡ଼ାଇ ବନ୍ଦି କରିଚି । ଆଚ୍ଛା, କହନି ନାଥ ! ଆଜି ଏ ସ୍ଥାନରେ କେଉଁ ବିଷୟଟି ଦର୍ଶକଗଣଙ୍କୁ ଦେଖାଇବା ?

ନଟ

-

ପ୍ରିୟେ ! କ’ଣ ଏତେ ଶୀଘ୍ର ମନରୁ ତା ଭୁଲିଗଲ ? ମୁଁ ପରା କାଲିଠାରୁ କହିଥିଲି- ‘‘କର୍ଣ୍ଣ-ଦାନପରୀକ୍ଷା’’ ବିଷୟଟିକୁ ଆଜି ଏ ରଙ୍ଗଭୂମିରେ ଦେଖାଇବାକୁ ।’’ ତାହା ଆଧୁନିକ ଯୁବକଯୁବତୀ ଦେଖି ମହା ମହା ଶିକ୍ଷା ଲାଭ କରିବେ ଓ ଜାଣିପାରିବେ ସତ୍ୟ ଆଉ ଧର୍ମ ଏ ଦୁହିଁଙ୍କି ପ୍ରାଣୀ ପାଳନ କଲେ, ସେ ଭଗବାନଙ୍କର କେଡ଼େ ପ୍ରିୟ ହୁଏ । ତାହା ରାଜା କର୍ଣ୍ଣ ଓ ରାଣୀ ପଦ୍ମାବତୀଙ୍କଠାରୁ ଶିଖିପାରିବ - ଧୈର୍ଯ୍ୟ, ସହିଷ୍ଣୁତା ଓ ସତ୍ୟପାଳନ ଏ ତିନିଗୋଟି ଜଗତରେ ମାନବର କି ପ୍ରକାର ବସ୍ତୁ ।

ନଟୀ

-

ହେଉ ନାଥ ! ତେବେ ନାଟକର ଉପକରଣ ସଜାଇବା ଚାଲ ।

 

 

(ଉଭୟେ ପ୍ରସ୍ଥାନ)

Image

 

ପ୍ରଥମ ଅଙ୍କ

[ପ୍ରଥମ ଦୃଶ୍ୟ - ରାଜସଭା । ମନ୍ତ୍ରୀ ସହ କର୍ଣ୍ଣଙ୍କର ପ୍ରବେଶ]

 

ରାଜା

-

କହ ମନ୍ତ୍ରିଶ୍ରେଷ୍ଠ !

 

 

ପ୍ରଜାଗଣେ ଛନ୍ତି ତ କୁଶଳେ ?

 

 

ଅନ୍ନକଷ୍ଟୀ, ରୋଗୀ କିବା ମୂର୍ଖ, ଦସ୍ୟୁ, ଖଣ୍ଟ

 

 

ବୁଝୁଛ ତ ଏହାଙ୍କ ଉଦନ୍ତ ?

 

 

ଜାଣିଥାଅ, ସାବଧାନ ଦେଉଅଛି କରି,

 

 

ନିନ୍ଦାଧ୍ୱନି ଯେହ୍ନେ ନ ପଶିବ କର୍ଣ୍ଣ କର୍ଣ୍ଣବିଳେ ।

 

 

ଦେଖ, ବେଳ କାଳ ଜାଣି ଇନ୍ଦ୍ର ବର୍ଷନ୍ତି ତ ଜଳ,

 

 

ପାଇ ସେହି ବୃଷ୍ଟିନୀର

 

 

ନାନା ଶସ୍ୟ ସୁପ୍ରସନ୍ନେ ଦାନ କରେ ଧରା;

 

 

ଦୁଗ୍ଧବତୀ ହୋନ୍ତି ଗାଭୀ ନିତି

 

 

ନବ ନବ ତୃଣାବଳୀ ସୁଖେ କରି ଗ୍ରାସ ।

 

 

ରାଜଭକ୍ତ ପ୍ରଜାଗଣ ମୋର

 

 

କେହି ଯେହ୍ନେ ନ ଯାଆନ୍ତି ଅନ୍ୟ ରାଜ୍ୟେ

 

 

ଜୀବିକାପୋଷଣେ ।

ମନ୍ତ୍ରୀ

-

ମହାରାଜ ଅଙ୍ଗପତି !

 

 

ମନୁ ତେଜ ପ୍ରଜାଙ୍କ ଭାବନା;

 

 

ଧନାଗାର, ଅସ୍ତ୍ରାଗାର, ଚିକିତ୍ସାଳୟ, ସ୍କୁଲ୍‌, ଥାନା, ଧର୍ମଶାଳା

 

 

ପୂର୍ଣ୍ଣ ଠାବେ ଠାବେ ।

 

 

ନାହିଁ କିଛିହିଁ ଅଭାବ

 

 

ସୁଶାସନେ ଅଛନ୍ତି ପ୍ରଜାଏ ।

 

 

ରୋଗୀ, ଅସହାୟ କିବା ଅନ୍ନକଷ୍ଟୀ ଜନେ

 

 

କେହି ଜଣେ ନ ମିଳିବେ ତବ ସୁଶାସନେ ।

 

 

ରାଜକର୍ମଚାରୀଗଣେ

 

 

ସ୍ୱ ସ୍ୱ କାର୍ଯ୍ୟେ ନିଯୁକ୍ତ ସର୍ବଦା;

 

 

ନିୟମ ତନ୍ତ୍ର ସାହାଯ୍ୟେ ଚଳେ ଅଙ୍ଗ ରାଜ୍ୟ ।

ରାଜା

-

ଯା କହିଲ, ମାନୁଚି ତା ମନ

 

 

କିନ୍ତୁ, ବିଜୟ କରି ସଭାକୁ ଆସିବାର ବେଳେ

 

 

ନ ଦେଖିଲି ଦ୍ୱାରପାଳେ ସିଂହ-ଦରୋଜାରେ ?

ମନ୍ତ୍ରୀ

-

ମହାରାଜ !

 

 

ଏହି ଦେଖ, ଦ୍ୱାରପାଳ ସିଂହଦ୍ୱାରେ ଗାଉଅଛି ଗୀତ ।

 

 

ଛାମୁ ଆସନ୍ତେ ଗହଣେ;

 

 

ପଡ଼ିନାହିଁ ନେତ୍ର ତାହାପରେ ।

 

 

ଯେବେ ଭ୍ରମବଶେ କରିଥାଏ ଦୋଷ

 

 

ଡକାଇଣ ଛାମୁଙ୍କ ନିକଟେ

 

 

ଆକଟ କରିଣ ଦେବି ଅତି ସୁବିଧାରେ ।

 

 

(ଗୀତ ଗାଇ ଦ୍ୱାରୀର ପ୍ରବେଶ)

ଭାଇ ! ମରୁନାହାନ୍ତି ଏ ପରଘରବୁଡ଼ା । ପେସା କରିଛନ୍ତି ନିତି କଳି ଯୋଡ଼ା ।ପଦ। ମହାପରସାଦ ଦେଇ, ବିଶ୍ୱାସରେ ବନ୍ଧୁ ହୋଇ । ବିକାଇ ଦିଅନ୍ତି ଶେଷେ ଘରନଡ଼ା ।୧। ଚୋରି ନାରୀ ଜନାକାରୀ, ଏ ତିନି-ପେସା ତାଙ୍କରି । ବହିନ୍ୟନ୍ତି ଘରବାରି ହଳେ ହଡ଼ା ।୨। ଦାଣ୍ଡେ ହୋଇ ଭଲଲୋକି, କପଟେ ଲୋକଙ୍କୁ ଫାଙ୍କି । ମିଛେ ମିଛେ ମୋଡ଼ୁଥାନ୍ତି ନିଶଯୋଡ଼ା ।୩। ଦେଲେ ଟଙ୍କା ଲାଞ୍ଚ କେହି, ମିଛ ସାକ୍ଷୀ ଦ୍ୟନ୍ତି ଯାଇଁ । ଧର୍ମ-ଅଦାଲତ କୋଟେ ହୋଇ ଛିଡ଼ା ।୪। ବୋପା ଅଜା ମକଦ୍ଦମ, ଥିଲେ ଶୁଣାଇ ଏ ନାମ । ପତ୍ୟାରା ପାଇଁ ଚଢନ୍ତି ହଡ଼ା ଘୋଡ଼ା ।୫। ଘଷି ଚମାରଙ୍କ ଗୋଡ଼, ମାରୁଥାନ୍ତି ମୁହଁତୋଡ଼ । ପାଇବେ ଦଇବହାତେ କାନମୋଡ଼ା ।୬। ବଇଷ୍ଣବ କହି ଗୀତେ; ସରକାର ଚିହ୍ନି ସତେ । ଦେବେ ଏମାନଙ୍କୁ କେବେ ହାତକଡ଼ା ।୭।

 

ମନ୍ତ୍ରୀ

-

ଦ୍ୱାରି ! କିପାଁ କଲୁ ଏଡ଼େ ଅପରାଧ

 

 

ବିଜୟ କରିଲାବେଳେ ସଭାକୁ ଶ୍ରୀଛାମୁଁ ?

 

 

କିପାଁ ଆଗେ ନ କଲୁ ସାକ୍ଷାତ ?

 

 

କାହିଁ ଯାଇଥିଲୁ କହ ସତ୍ୟ ?

ଦ୍ୱାରୀ

-

ମନ୍ତ୍ରି ମଣିମା ! ମୁଁ ଯାଇଥିଲି ନିତ୍ୟକର୍ମ କରି

 

 

ଆସୁ ଆସୁ ଛାମୁ ପରା ଅଇଲେ ବାହାରି ।

 

 

ସବୁବେଳେ ଦ୍ୱାର ଜଗିଥାଏଁ କେଣେ ଯାଏନାହିଁ,

 

 

ଦୋଷ କ୍ଷମା କର, ମହାରାଜ !

ରାଜା

-

ଦ୍ୱାରି, ଯାଅ ଦ୍ୱାରଦେଶେ

 

 

ସେ ତ ନିତ୍ୟକର୍ମ

 

 

ତହିଁ କି ଅଛି ଦୋଷ, ଦେବା ତୋତେ କ୍ଷମା ।

 

 

ବ୍ରାହ୍ମଣ କିବା ସନ୍ନ୍ୟାସୀ ଯେ ମିଳିବ ଆସି,

 

 

ଜଣାଇ ଆମ୍ଭଙ୍କୁ ତାକୁ ଛାଡ଼ିବୁ ଭିତରେ ।

 

 

ଅପମାନ ନ କରିବୁ ଋଷି-ବିପ୍ରଗଣେ;

 

 

ମ୍ଲେଚ୍ଛ ଚାଣ୍ଡାଳ ଯଦ୍ୟପି ମିଳେ କେହି ଆସି

 

 

ନ ଛାଡ଼ିବୁ, ରଖିବୁ ଆକଟେ ।

ଦ୍ୱାରୀ

-

ଯେ ଆଜ୍ଞା !

 

 

(ସମସ୍ତଙ୍କର ପ୍ରସ୍ଥାନ)

Image

 

[ଦ୍ୱିତୀୟ ଦୃଶ୍ୟ - ଏକାକୀ ମାୟାବି ପ୍ରବେଶେ ନାରାୟଣ ପ୍ରବେଶ - ଗୀତ]

 

ଯାଉଛି ଅଙ୍ଗରାଜାର ଚିତ୍ତ ଆଜି ବିଡ଼ିବି । ସାଜି ଦୀନବେଶ ସାମବେଦେ ତୁଣ୍ଡେ ପଢ଼ିବି-।ପଦ। ମହାନଦୀ କର୍ଣ୍ଣ ରାଜା, ବୋଲି ମର୍ତ୍ତ୍ୟେ ଉଡ଼େ ଧ୍ୱଜା । ଭାନୁସୂନୁ ତନୁଚିନ୍ତା ଚିତାନଳେ ପୋଡ଼ିବି ।୧। ମାଗିବି ମୁଁ ମହାଦାନ, ନ ଦେବ ଯେବେ ରାଜନ । ତେବେ ତାର ପୁଣ୍ୟମାନ ସିନ୍ଧୁଗର୍ଭେ ମାଡ଼ିବି ।୨। ଦାନେ ବଳିକି ମୁଁ ଛଳେ, ପେଷିଲି ପାତାଳ ଆଳେ । ଜିଣେ ଯେବେ ଭକ୍ତ ହେଳେ ବଇକୁଣ୍ଠେ ଛାଡ଼ିବି ।୩। ଦିଶିଲାଣି ରାଜବାଟୀ, ଆଉ ନାହିଁ କାର୍ଯ୍ୟେ ତୁଟି । ବଇଷ୍ଣବ ରଟି ତୋ ଆଜ୍ଞାରେ ପଦ ଯୋଡ଼ିବି ।୪।

(ଦ୍ୱାରୀର ପ୍ରବେଶ - ଉଭୟଙ୍କ ଗୀତ)

ଦ୍ୱାରୀ

-

କାହିଁକି କହ ହେ ନନା, ଆସିଅଛ ଧାଇଁ ? କାରଣ ଭାଷ ବାରଣ ଯିବ ନାହିଁ ଡେଇଁ । ନୃପ ଆଜ୍ଞା ଦେଲେ ହେ । ଭିତରେ ଛାଡ଼ିବି ତେବେ ଭଲେ ହେ ।୧।

ବିପ୍ର

-

ଯାଅ ଦ୍ୱାରପାଳରେ ଭୂପାଳ ପାଶେ କହ । ସିଂହଦ୍ୱାରେ ଏକ ପଣ୍ଡା ଅଛି ଆଜ୍ଞା ଦିଅ । ଛାମୁ ଆଗେ ଆସି ହେ । ଭେଟିବ କହୁଛି ଯେ ଭିକ୍ଷାଶୀ ।୨। ଅନ୍ନାଭାବେ ଜୀର୍ଣ୍ଣଶୀର୍ଣ୍ଣ ଦିଶୁଛି ତା ଦେହ । ବହୁ ପୁଣ୍ୟ ହେବ ବାରେ ବେଗେ ବେଗେ ଯାଅ । ତୋତେ ଇଷ୍ଟ ରାଣରେ । କଷ୍ଟ ଦିଅ ନାହିଁ ଅକାରଣରେ ।୩।

ଦାରୀ

-

ଥାଅ ନନା, କଲି ମନା ଯିବ ନାହିଁ କେଣେ । ଜଣାଇ ଛାମୁରେ ଫେରି ଭେଟିବି ଏକ୍ଷଣେ । ବଇଷ୍ଣବ ଭାଷି ହେ । ମୋ ଆସିବାଯାଏ ଥିବ ବସି ହେ ।୪।

ରାଜା

-

ଦ୍ୱାରୀ ! କି କାର୍ଯ୍ୟେ ଆଗତ କହ ଏଥି ?

ଦ୍ୱାରୀ

-

ମହାରାଜ ! ତାହା ଶୁଣ ମନ ସ୍ଥିରେ-

(ଗୀତ)

ସିଂହଦ୍ୱାରେ ପଣ୍ଡା ଏକ ଉପଗତ, ଶୁଣ ଚଣ୍ଡସୁତ ।ପଦ। ଠେକା ବାନ୍ଧି ମୁଣ୍ଡେ, କି ଗାଉଛି ତୁଣ୍ଡେ । ମଣ୍ଡିଛି ମୁଣ୍ଡେ ଚନ୍ଦନ ସେ ତ ।୧। କୁଶବିଣ୍ଡା କରେ, ବସିଛି ପିଣ୍ଡାରେ । କନ୍ଧଦେଶେ ଯଜ୍ଞ-ଉପବୀତ ।୨। ଗଳାରେ ତୁଳସୀ ମାଳ ଅଛି ଭୂଷି । ନୀଳ ନୀଳ ଦିଶେ ବେନି ନେତ୍ର ।୩। ପିନ୍ଧିଛି ଶୁକଳ, ଦୁକୂଳ ବିକଳ । କହୁଚି କରିଚ ମୁଲାକାତ ।୪। ଭଣ୍ଡ ବଇ ବୋଲେ ଚାଣ୍ଡେ ଆଜ୍ଞା ଦେଲେ । ଆଣିବି ଏକ୍ଷଣି ଛାମୁକୁ ତ ।୫।

 

ରାଜା

-

ରେ ଦ୍ୱାରି ! ଶୀଘ୍ର ଯାଇ ସେ ବ୍ରାହ୍ମଣଙ୍କୁ ଆମ୍ଭ ନିକଟକୁ ଘେନି ଆ, ଆଉ ବିଳମ୍ବ କରନା-

 

 

(ଦ୍ୱାରୀ ପ୍ରସ୍ଥାନ)

 

 

(ସ୍ୱଗତ) ଓଃ; କି ଘନଘନ ଉଠେ ବେଦଧ୍ୱନି

 

 

ପଡ଼ିଲାକ୍ଷଣି କର୍ଣ୍ଣର କର୍ଣ୍ଣେ

 

 

କଦମ୍ବକେଶର ସମ ଅଙ୍ଗ ଲୋମ ଉଠଇ ଶିହରି;

 

 

ଜଣାଯାଏ ନିଶ୍ଚେଁ ଏହି ସତ୍‌କାଳୀନ ବେଦ ଭ୍ୟାସୀ ଦ୍ୱିଜ ।

 

 

ଆହା ! କି ସୁନ୍ଦର ସାମ ବେଦ ତାଳେ ତାଳେ ! କରନ୍ତି ଗାୟନ ।

 

 

ଅସମୟେ କିପାଁ ଏଥେ ହେଲେ ଉପଗତ

 

 

କି ପ୍ରକାରେ ଜଣାଯିବ ତାଙ୍କ ମନୋଭାବ ।

 

 

(ବ୍ରାହ୍ମଣଙ୍କ ପ୍ରବେଶ)

 

 

ଦ୍ୱିଜବର ! କି ହେତୁ ବିଜୟ ତବ ଅଭାଗା କୁଟୀରେ

 

 

ନ କରିଣ ଶଙ୍କା ମନେ କରନ୍ତୁ ପ୍ରକାଶ ?

ବିପ୍ର

-

ଅଙ୍ଗପତି ! ଦେଖ ନେତ୍ରେ ଏ ଆମ୍ଭ ବିପତ୍ତି

 

 

ସତ୍ୟକଲେ ପ୍ରକାଶିବି ଆଗତ କାରଣ ।

(ଗୀତ)

ନ କରିଲେ ସତ୍ୟ ମନକଥା ନ କହିବି ରାଧାସୁତ ! ମହାଦନୀ କର୍ଣ୍ଣ ବୋଲି ତବ ନାମେ ଖ୍ୟାତ ହୋଏ ଯେ ମେଦିନୀ ସାତ ।ପଦ। ତିଳ ଜଳ ଶଙ୍ଖରେ ଭରି, ଧରି ଚିତ୍ତେ ଇଷ୍ଟ ସୁମରି । ଅଷ୍ଟବସୁ ନବଗ୍ରହ ସାକ୍ଷୀ ରଖି ତୋଳିଦେବୁ ମୋହ କରେ ତୁରିତ ।୧। ସତ୍ୟ ସତ୍ୟ ତ୍ରିବାର ଭଣି, ଦିଅ କରେ ହେ ନରମଣି ! ଜାଣିବି ନିଶ୍ଚୟ ତବ ଦୃଢ଼ବ୍ରତ ତେବେ ରହି ରାତ୍ରି କରିବି ଗତ ।୨। ତା ନୋହିଲେ ଫେରିବି ରାଜା, ଅନ୍ତଃକାଳେ ଭୋଗିବାକୁ ସଜା । ଗଞ୍ଜୁଥିବ ନେଇ ସଞ୍ଜୀବନୀସାଈଁ ନାଶ ହେବ ପୂର୍ବାପର ସୁକୃତ ।୩। ଏକପକ୍ଷ ହେଲାଣି ଗତ, ନାହିଁ ଅନ୍ନ ସହ ସାକ୍ଷାତ । ତୋର ଖ୍ୟାତି କ୍ଷିତି ଘୋଷେ ନିତି ନିତି କବି ବଇଷ୍ଣବ ରଚେ ଏ ଗୀତ ।୪।

 

ରାଜା

-

ସତ୍ୟ କରୁଅଛି ପ୍ରଭୁ, ଧରି ତିଳ-ଜଳ

 

 

ମାଗି ଘେନ ଇଚ୍ଛା ହୁଏ ଯାହା ।

 

 

ଅଦ୍ୟ ଦାନ କାର୍ଯ୍ୟ ଯାଇଅଛି ସରି

 

 

କାଲି ପ୍ରଭାତରୁ ଦେବି ତବ ବାଞ୍ଚିତ ଦରବ ।

 

 

ନ ଦେଲେ ନଷ୍ଟ ହେବ ମୋ ସମସ୍ତ ସୁକୃତ ।

 

 

କି ମାଗୁଛ ମାଗ ଦ୍ୱିଜପୁତ୍ର !

 

 

ହୀରା ନୀଳା ମୋତି ମାଣିକ୍ୟ ବୈଡ଼ୁର୍ଯ୍ୟ

 

 

କିବା ରାଜ୍ୟ ଧନ, ଦାସଦାସୀ ଗଜ ଅଶ୍ୱ

 

 

ଯାହା ନେବ, ଦେବି କାଲି ପ୍ରାତେଃ ।

 

 

ଆଜି ବାସେ ରହ, ତୋଷେ ସେବିବି ପୟର ।

ବିପ୍ର

-

ଶୁଣ ନରନାହା !

 

 

କରି ସତ୍ୟ, ନିସତ୍ୟ ନୋହିବୁ ପଛେ ତୁହି -

(ଗୀତ)

ଭୋଜନ ଦେବୁ ରାଜନ ମୋତେ ତୁହି କାଲି ପ୍ରାତଃରେ । ରାଜ୍ୟଧନେ କାର୍ଯ୍ୟ ମୋର ନାହିଁ ଜାଣ ସୂର୍ଯ୍ୟସୁତରେ ।ପଦ। ଆମ୍ଭେ ସହଜେ ଭିକ୍ଷାଶୀ, କିସ ହେବ ଦାସଦାସୀ । ନାମ ଦାମୋଦର ପଣ୍ଡା ଭ୍ରମୁଥାଉଁ ନାନା ତୀର୍ଥରେ ।୧। ଖଡ଼ଗେ ତୋ ସୁତମୁଣ୍ଡ ନିଜେ କରିବୁ ଦ୍ୱିଖଣ୍ଡ । ତୋ ରାଣୀ ତାହାର ମାଂସ ରାନ୍ଧି ପରଶିବ ହାତରେ ।୨। ଆନ ମାଂସର ନରବର, ନ କରିବି ମୁଁ ଆହାର । ବିଶ୍ୱକେଶନ-ମାଂସରେ ତୃପ୍ତହେବ ଏହି ଚିତ୍ତରେ ।୩। ଏହା ତୁ ନ ଦେଲେ ମୋତେ, ଫେରିଯିବି ପଥେ ପଥେ । ବଇଷ୍ଣବ ଭାଷେ ଗୀତେ ପଶ୍ଚାତେ ବୁଝିବୁ ହିତରେ ।୪।

 

ରାଜା

-

ବିପ୍ରମଣି ! କିପାଁ ବିନା ମେଘେ ଦାସ ଶିରେ

 

 

କର ବଜ୍ରପାତ ?

 

 

କେସନେ ନିଷ୍ଠୁର ବାଣୀ ଭାଷ ତବ ମୁଖେ ?

 

 

କି ଅଦ୍ଭୁତ କର୍ମ;

 

 

ଯାହା କେବେ କରିବାର କେହି

 

 

ଶୁଣିନାହିଁ କର୍ଣ୍ଣ କର୍ଣ୍ଣପଥେ

 

 

ତାହା ଦାସେ ମାଗୁଛ କେମନ୍ତେ ?

 

 

ଛାଗ ମୃଗ ବରାହ କି ଶଶା

 

 

ଆନ ମାଂସମାନ ଯାହା ଲୋଡ଼ା

 

 

ପ୍ରଭାତେ ମୁଁ ଦେବି ପାଶେ ଆଣି;

 

 

ସେ ନିର୍ଦ୍ଦୟ ଭାଷା ଆଉ ଭାଷ ନା ମୁଖରେ ।

(ଗୀତ)

କହନା ସେ ବାଣୀ ଦ୍ୱିଜମଣି, ଦହନା ଏ ଚିତ୍ତକୁ ଆଉ ହେ । ମାଗିଲେ ଏ ପ୍ରାଣ ଦେବି ହେ ବ୍ରାହ୍ମଣ, ହରାଇଲେ ପୁତ୍ରେ ପାଇବି କାହୁଁ ।ପଦ। କ୍ଷୀର ନୀର ଦେଇ ବଢ଼ାଇଲି ଯା’କୁ ମାରିବି କେମନ୍ତେ ଏ ଜୀବ ଥାଉଁ । ସୁତହତ ତାତ ନୟନେ ଦେଖିବ କେଉଁପରି ମୁଖେ ଏ କଥା କହୁ ହେ ।୧। ନିଜ କରେ ବଧ କରିବାକୁ ସାଧ ବଳିବ କେସନ ନ ସାଧ ଦାଉ । ଆନ ଦାନ ଘେନ ଦେବି ଭରି ମନ, ନ ସରଇ ଦେଲେ ଖାତକ ସାହୁ ।୨। କି ଭାବି ଏ ଶିରେ ପବି ପକାଉଛ ଆଉ କି ଆଦେଶ ଦାସରେ ହେଉ । ବଇଷ୍ଣବ କହେ ଶୁଣୁ ଶୁଣୁ ହୃଦେ ଉଠିଲାଣି ଶୋକସାଗର ଢେଉ ।୩।

ବିପ୍ର

-

ରେ ନିର୍ଲଜ୍ଜ କର୍ଣ୍ଣ !

 

 

ଏତେ ନୀଚମନା ବୋଲି ଜାଣିଥିଲେ ମୁହିଁ

 

 

ମାଗି ନ ଥାନ୍ତି ଏ ଦାନ କେଭେଁ, ଥିଲେ ଭଲ ଗତି

 

 

ନ କରିଣ ଏଥିରେ ଆପତ୍ତି

 

 

ଘୋର ବିପତ୍ତିରୁ ଯାଅ ତରି ।

 

 

ଅଷ୍ଟବସୁ ନବଗ୍ରହ ପବନ ଅନଳ

 

 

ଦଶଦିଗପାଳ ରଖି ସାକ୍ଷୀ,

 

 

ତୋଳିଦେଲୁ ହସ୍ତେ ତିଳ ବାରି

 

 

ସତ୍ୟ କରି ନିସତ ହେଉଚୁ କେଉଁପରି ?

(ଗୀତ)

ଫେରିଯାଉଅଛି ରଜା, ସଜାହିଁ ପାଇବୁ । ସତ୍ୟ-ଭଗ୍ନ-ପାପେ ନର୍କଗାମୀ ଯେ ହୋଇବୁ ।୧। ମନୋଦୁଃଖେ ଦେଲେ ଦାନ ଫଳ ବିପରୀତ । ଯାହା କହି ଯାଉଛି ତା ଚେତ ନରନାଥ ।୨। ତୋର କରେ କୁମରକୁ କରନ୍ତୁ ଛେଦନ । ତୋ ରାଣୀ ତାହାର ମାଂସ କରନ୍ତା ରନ୍ଧନ ।୩। ପରଷନ୍ତା ପଦ୍ମାବତୀ ସରସ ଚିତ୍ତରେ । ତେବେ ଭୁଞ୍ଜନ୍ତି ସନ୍ତୋଷେ କହୁଛି ହିତରେ ।୪। ରାଣୀ ଆଗେ ଯାଇଁଣ ଜଣାଅ ଏ ବାରତା । ବିପ୍ର ବଇଷ୍ଣବ ଶୋକେ ବିରଚେ କବିତା ।୫।

ରାଜା

-

କ୍ଷାନ୍ତ ହୁଅ ଦ୍ୱିଜୋତ୍ତମ !

 

 

ଅଭିଶାପ ଦିଅ ନାହିଁ ଦାସେ;

 

 

ଯାଉଚି ମୁଁ ଅନ୍ତଃପୁରେ ଜଣାଇବି ପଦ୍ମାବତୀ ପାଶେ

 

 

(ବିପ୍ର ପ୍ରତି) ବିଶ୍ରାମେ କରନ୍ତୁ ଏହି ସ୍ଥାନେ

 

 

କାଲି ପ୍ରାତେଃ ସନ୍ତୋଷ କରିବି ମାଂସଦାନେ ।

 

 

(ପ୍ରସ୍ଥାନ)

 

 

(ଚାକର ରାକରାଣୀର ପ୍ରବେଶ)

ଚାକର

-

ଚାଆଲେ ଚାଲେ ଏଠୁ ଚଞ୍ଚଳ ନାନୀ ଲୋ

 

 

ପଳାଇଯିବା ଏ ରଜା ରାଇଜ ଛାଡ଼ି ।

ସ୍ତ୍ରୀ

-

କଅଣ ହେଲା କି ତୋର ଆରେ ଚୁଲିପଶା ଚୋର

 

 

ଶୂଳେଇ ହୋଇ ମିଛରେ ନ ମର ବୁଡ଼ି ।ପଦ।

ଚାକର

-

ବ୍ରାହ୍ମଣକୁ ହାଣି ପୁଅ ଯେଉଁ ରଜା ଦବ, କହ

 

 

ସେଠି ନ ହାଣିବ ଶେଷେ ଆମକୁ ଲୋଡ଼ି ।

ସ୍ତ୍ରୀ

-

କଥା ସତ ସିନା ତୋର, ନ ଆସେ ମନକୁ ମୋର

 

 

କାନକୁ ଘୋଡ଼ାମୁହାଁର ଦିଅନ୍ତି ମୋଡ଼ି ।୧।

ଚାକର

-

ମଣିଷ-ମାଉଁସଗିଳା ବ୍ରାହ୍ମଣ ନୁହେଁ ସେ କେଳା

 

 

ସତ୍ୟ କଲା ସାଆନ୍ତ ତା କଥା ନ ଏଡ଼ି ।

ସ୍ତ୍ରୀ

-

ବାପର ତ ଅଧେ ପୁଅ ଅଧେ ତ ମାଆର ଦିହ

 

 

ଦଶମାସଯାକେ କାହିଁ ଥିଲା ସେ ବଢ଼ି ।୨।

ଚାକର

-

ଜାଣି ତ ନାହାନ୍ତି ରାଣୀ, କି କହିବେ ଏହା ଶୁଣି,

 

 

ମରିଯିବେ ମହୀ ପରେ ମୁଣ୍ଡ କଚାଡ଼ି ।

ସ୍ତ୍ରୀ

-

କେସନେ ବଳିବ ସତ ହାତରେ କରିବ ହତ,

 

 

ପର ଶୁଣିଲେ ପରାଣ ଯାଉଛି ଉଡ଼ି ।୩।

ଚାକର

-

ରାନ୍ଧିବ ପୁଣି ମହିଷୀ, ପାଜି ବ୍ରାହ୍ମଣ କହିଚି,

 

 

ଏମନ୍ତ ଦେଶରେ କିଏ ରହିବ ପଡ଼ି ।

ସ୍ତ୍ରୀ

-

ହେବନାହିଁ ତାହା କେଭେ, ବଇଆ ବ୍ରାହ୍ମଣ ଭାବେ,

 

 

ଭଲକରି ଚିହ୍ନ ସେ ତ ଜାତିରେ ହାଡ଼ି ।୪।

ଚାକର

-

ନାନି ! ମଣିଷ-ମାଉଁସ ମଣିଷ ଖାଆନ୍ତି କୋଉଠି ?

ସ୍ତ୍ରୀ

-

ସେଥିରେ ଯେବେ ତା ପେଟ ନ ପୂରିବ, ତତେ ଯେବେ ଗିଳେ ଲେଉଟ !

ଚାକର

-

ତେବେ କ’ଣ ଧରମ ସଂସାରେ ଅଛି ?

ସ୍ତ୍ରୀ

-

ଦେଖୁନାଉ, ବେଳକାଳ ଜାଣି କେମନ୍ତେ ଦଉ କଚି ।

ଚାକର

-

ତେବେ ତତେ ନାନି, ମୁଁ କହିବି ନାହିଁ ଲୋ କିଛି ।

 

 

(ଉଭୟର ପ୍ରସ୍ଥାନ)

Image

 

[ତୃତୀୟ ଦୃଶ୍ୟ - ଅନ୍ତଃପୁର; ରାଜା ରାଣୀ ପାଶେ ପ୍ରବେଶ]

 

ରାଜା

-

(ସ୍ୱଗତ) ହାୟ ! ହାୟ ! ମୁଁ କେଡ଼େ ମୂର୍ଖ

 

 

କାହିଁକି ବା ନ ବୁଝି ନ ଶୁଝି କଲି ଏତେ ବଡ଼ପଣ ?

 

 

ଏ କି ଦେବକୂଟ;

 

 

ବିପ୍ର ହୋଇ କି ପ୍ରକାରେ ମାଗେ ନରମେଦ ?

 

 

ଶୁଣିଲାବେଳୁଁ ଅବଶ ହେଲା ହସ୍ତପଦ ।

 

 

କେମନ୍ତେ ସ୍ୱହସ୍ତେ ବଧ କରିବି କୁମରେ ?

 

 

କେହ୍ନେ ପୁତ୍ର ମାଏଁସ ପଦ୍ମାବତୀ କରିବ ରନ୍ଧନ ?

 

 

ରେ ଦାରୁଣ ହୃଦ, ତୁ କି ବଜ୍ରରୁ କଠିନ ହେଲୁ ଏଡ଼େ

 

 

ଫାଟି ନ ଯାଇ ଏତେ ବେଳ ଅଛୁ ରହି !

 

 

ପ୍ରିୟା ପଚାରନ୍ତେ ଦେଖି ମୋ ବିମର୍ଷ ମୁଖ

 

 

କି ଉତ୍ତର ଦେବି ତା ଆଗରେ ?

ରାଣୀ

-

(ସ୍ୱଗତ) ଏ କିସ ଘଟଣା

 

 

ଆସନ୍ତି ନୃପତି କିପାଁ ବିରସ ବଦନେ ଦାସୀ ପାଶେ ?

 

 

କି କଥା ଘଟିଛି ଆଜ ରାଜଦରବାରେ;

 

 

ସେ କାରଣୁ ବାଳ ଅରୁଣେ ଗ୍ରାସିଛି ସିଂହିକାନନ୍ଦନ ।

 

 

(ପ୍ରକାଶ୍ୟେ) ଜୀବନ ବଲ୍ଲଭ, କିପାଁ ଏ ଭାବ ତୁମ୍ଭର

 

 

ଶରଦକାଳେ କି ହେତୁ ନୀରଦପଟଳ

 

 

ଘୋଟେ ତବ ମୁଖାକାଶେ ?

 

 

ନାଥ, ସତ କହ ନ କରି କପଟ ଦାସୀଠାରେ ।

(ଗୀତ)

ଜୀବଜୀବନ ଜଣା କାରଣ ହେ ମୋହ ରାଣ । ଇନ୍ଦୀବରଜିଣା ନୟନରେ କିପାଁ ନୀରପୂର୍ଣ୍ଣ ଅନୁକ୍ଷଣ ହେ ।ପଦ। ଆଜି ନବଭାବ ଦେଖୁଛି ଭୋ ଦେବ, ନ କରି ତିଳେ ବାରଣ । କହୁଅଛି ବଳେ ମାଗୁଚି ଏକାଳେ ଦାସୀକି କର କାରଣ ହେ ।୧। ଅରୁଣନନ୍ଦନ ନ କର କ୍ରନ୍ଦନ ଧରୁଛି ଚାରୁଚରଣ । ତରୁଣୀ ହୃଦୟ ଋଣୀ ପତିପାଶେ ଲେଖିଛି ବେଦେ ପୁରାଣ ହେ ।୨। କୋମଳ ତମାଳ ପଲ୍ଳବ ଯେମନ୍ତ ପରଶି ରବିକିରଣ । ଝାଉଁଳି ତେମନ୍ତ ଦିଶେ ଅଙ୍ଗରଙ୍ଗ ଏ କଷ୍ଟ କର ହରର ହେ ।୩। ଦଣ୍ଡଧର ଦଣ୍ଡଧରପୁରେ ତେଜି ଯିବ ଦଣ୍ଡକେ ପରାଣ । ପାଞ୍ଚୁଛ କି ମନେ ପରକାଶ ଘନେ ରଚେ ବୈଷ୍ଣବଚରଣ ହେ ।୪।

 

ରାଜା

-

ରେ ପ୍ରେୟସୀ !

 

 

କି ବର୍ଣ୍ଣିବି ମୋ ଦୁର୍ଦ୍ଦଶାରାଣି

 

 

ପଡ଼ିଛି ବିଷମ ବଜ୍ର ଖସି କର୍ଣ୍ଣ ଶିରେ ।

 

 

ଜଣାଯାଏ ପ୍ରାଣପକ୍ଷୀ ଯିବ ଘଟ ତେଜି

 

 

ଜାଣିଥାଅ ରାଣି ।

 

 

କର୍ଣ୍ଣର ଜୀବନଦୀପ ବିପଦ ବତାସେ

 

 

ଲିଭିଯିବ କାଲି ପରଭାତେ ।

 

 

ଶୁଣ ପ୍ରିୟେ, ତୁଣ୍ଡେ ମୋର ନ ପଶେ ସେ ଭାଷା

 

 

କହିବାକୁ ତୁମ୍ଭରି ଆଗରେ ।

(ଗୀତ)

ଜୀବଧନରେ, ଏକ ଦ୍ୱିଜ ଆସି ମୋ ସଦନରେ ।ପଦ। କପଟରେ ସେହି କରାଇଣ ସତ୍ୟ ମୋତେ ମାଗିଲା ଭୋଜନରେ ।୧। ତା କୂଟ ନ ବାରି ସତ୍ୟ କଲି ଗୋରୀ, ଶେଷ ହୋଇଥିଲା ଦିନରେ ।୨। କହିଲା ତେ ସୁତେ ହାଣିବୁ ତୋ ହାତେ ରାଣୀ କରିବ ରନ୍ଧନରେ ।୩। ତେବେ ମୁଁ ଭୁଞ୍ଜିବି ଏ ସ୍ଥାନ ତେଜିବି ଯାଚିଲି ଧନ ଗୋଧନରେ ।୪। ନ ଇଚ୍ଛିଲା କିଛି ସିଂହଦ୍ୱାରେ ଅଛି ବଇଷ୍ଣବ ନିବେଦନରେ ।୫।

 

ରାଣୀ

-

ଆର୍ଯ୍ୟପୁତ୍ର !

 

 

ଦାସୀର ବଚନ ମାନି ଚଳ ଏତେବେଳେ ।

 

 

ବିପଦେ ରମଣୀ ବୁଦ୍ଧି ରଖଇ ସର୍ବଦା

 

 

ଏହି କଥା କହିଛନ୍ତି ମହା ମହା ଜନ;

 

 

ଦେଖ ଥରେ କରିଣ ପରୀକ୍ଷା

 

(ଗୀତ)

 

ନିଜ ବାସେ ଯାଉ ଦ୍ୱିଜ ଫେରି ହେ ଦଣ୍ଡଧାରି ! ନଷ୍ଟ ହେଉ ପଛେ ଧର୍ମ, କଷ୍ଟ ଦେଉ ଦୁଷ୍ଟ ଯମ, ଏହା କେଭେ ନ ପାରିବି କରି ହେ ।ପଦ। ଶୁଣିଣ ଏ କଥା ଦଣ୍ଡେ । ପରାଣ ଯା ଅଛି ପିଣ୍ଡେ । ଯାଉନାହିଁ ବହନ ବାହାରି ହେ ।୧। ଦଶମାସ ଗର୍ଭେ ବହି । ଜନ୍ମ କରିଣ ବଢ଼ାଇ । କେହ୍ନେ ଦେବି ନିଜ କରେ ମାରି ହେ ।୨। ଏକଇ ବଳା ମୋ ବିଶ୍ୱକେସନ ଅଟେ ସର୍ବସ୍ୱ । ରାନ୍ଧିବି ତା ମାଂସ କେଉଁପରି ହେ ।୩। ମାଆ ମାଆ ଡାକ କାହା ତୁଣ୍ଡରୁ ଶୁଣିବି ନାହା । ରଖ ବଇଷ୍ଣବର ଗୁହାରି ହେ ।୪।

 

ରାଜା

-

ଜୀବେଶ୍ୱରୀ !

 

 

ଏତେବେଳେ କାନ୍ଦ ନାହିଁ ଆଉ,

 

 

ଫେରିଗଲେ ବିପ୍ର ନିଶ୍ଚେ ହେବ ଧର୍ମନାଶ,

 

 

ଧର୍ମଧନ ଗଲେ ଚୋରି ନ ମିଳଇ ଫେରି ।

 

 

ରାଣୀ ମୋତେ ଚାହିଁ ଧର ପଞ୍ଚଭୂତ

 

 

ଜୀବନ ଯୈାବନ ଧନ ସରବ ଅଚିର

 

 

ଆଜି ଯା’କୁ ଦେଖ ଇହଧାମେ

 

 

କାଲି ପରଧାମେ ତାର ଘର ।

 

 

ଟଳିଯିବ ପଛେ ସୁମେରୁ ମେରୁଶୃଙ୍ଗ

 

 

ଟଳିଯିବ ପଛେ ବିନ୍ଧ୍ୟ କୂଟ ଚିତ୍ରକୂଟ

 

 

ଟଳିବ ନାହିଁ କର୍ଣ୍ଣର ବଚନ କଦାପି ।

 

 

ଏହି ଦେଖ ପ୍ରିୟେ, ଆସେ ପୁତ୍ରମଣି

 

 

ପୋଛିଦଅ ବେନି ନେତ୍ରୁ ବାରି ।

 

 

ଦେଖିଲେ ଆମ୍ଭର ଶୋକଚିହ୍ନ

 

 

ପୁଚ୍ଛିବ ଅବଶ୍ୟ ଗୂଢ଼ କାରଣ ଏଥିର,

 

 

କହିଲାବେଳେ ଫାଟିବ ନିଶ୍ଚେ ଏ ହୃଦୟ ।

 

 

କାନ୍ଦ ନାହିଁ, ଘେନ ମୋର ମନା ।

ରାଣୀ

-

ଆସ ବତ୍ସ, କୋଳକୁ ମୋହର ।

ବୃକ୍ଷକେତୁ

-

ଜନନୀ !

 

 

ଦେଖେ କିପାଁ ଆଜି ନୂଆ ଭାବେ ତବ;

 

 

କେବେ ଯାହା ଦେଖିନାହିଁ ବୃକ୍ଷକେତୁ ନୟନ ଯୁଗଳ

 

 

ବୁଝି ନ ପାରଇ କିଛି କାରଣ ଏଥିର,

 

 

କି ଘଟଣା ଘଟିଛି ଏ ଅଙ୍ଗ କଟକରେ ?

 

 

ମାତା ! ସୁତ ଆଗେ ହୃଦଭାବ କର ପରକାଶ

 

 

ପିତା କିପାଁ ଦିଶନ୍ତି ବିରସ ?

 

(ଗୀତ)

 

ମାତା ମୋତେ ମନକଥା ଫେଡ଼ି କହ । କାହିଁପାଇଁ ବେନି ଜନେ ଗଡ଼ାଉଛ ଲୁହ ।ପଦ। ସରସ ମୁଖ ବିରସ, ନାହିଁ ତହିଁରେ ହରଷ । ଚନ୍ଦେ କି କରିଛି ଗ୍ରାସ ସିଂହିକାତନୟ ।୧। ଉଆସରେ ଦାସ ଦାସୀ, ନୀରବେ ସରବେ ବସି । ନେତ୍ର ଗାତ୍ର ତିନ୍ତାବନ୍ତି ବସି ବାସ ସହ ।୨। ତୂଳିଶଯ୍ୟା କରି ତେଜ୍ୟା, ଧୂଳିରେ କି ହେତୁ ରାଜା । ଗଢ଼ନ୍ତି ବାତୁଳ ପରା କୋଡ଼ନ୍ତି ହୃଦୟ ।୩। ଅଙ୍ଗ ରାଜଧାନୀ ଅଙ୍ଗ, କି ଘେନି ଦିଶେ ବିଭଙ୍ଗ । ବଇ ବୋଲେ କହି ବେଗେ ତୁଟାଅ ସନ୍ଦେହ ।୪।

 

ରାଣୀ

-

ବାପରେ, କି କହିବି ତୋତେ ସେହି କଥା ।

 

 

ଭ୍ରମେ ଯେବେ ତୁଣ୍ତେ ପଶିଯାଏ ପୁତ୍ର ପ୍ରତି ସେ କଥାପଦକ

 

 

ଘାଣ୍ଟି ହୁଏ ମନ, ଦିନଯାକ କିଏ କିସ ଘେନିଗଲା ପରି ।

(ଗୀତ)

କି କହିବି ବାପଧନରେ, ଜଳିଯାଏ ମନେପଡ଼ିଲେ ତାହା । ଫିଟୁନାହିଁ ତୁଣ୍ତ ଘୂରିଯାଏ ମୁଣ୍ତ ଏ ପିଣ୍ତରୁ ଉଡ଼ିଯିବରେ ସାହା ।ପଦ। ଫାଟିଯିବ ଧରା ଶ୍ରାବଣେ, ଜୁଟିବ ଗ୍ରୀଷମ ଶ୍ରବଣେ । ଦନ୍ତହିତକାରୀ ରସନା ଯେସନ ମାତା-ପୁତ୍ର ସ୍ନେହ ତେମନ୍ତ ତାହା ।୧। ସୁତ ଯାତନା କି ଜନନୀ, ଶୁଣି କାହିଁ ହୁଏରେ ତୁନି । ଏତେଦିନେ ଦମ୍ଭ-ଦ୍ରୁମେ ଛେଦି ଦେଲା ଖେଦ-କୁଠାରରେ ସାବିତ୍ରୀନାହା-।୨। ଦଂଶିଛିରେ ଦଇବ ଅହି, ସେ ବିଷ କି ଘାଡ଼ିବ କେହି । ଗ୍ରାସିଛି ମିହିର ସିଂହିକାକୁମର ଛିଡ଼ିଯିବ ଆଜୁ ଦକ୍ଷିଣ ବାହା ।୩। ପଚାର ତୋ ତାତକୁ ବାପ, ବେଳୁବେଳ ବଢ଼େ ସନ୍ତାନ । ସେ ତାହା କହିବେ ଭାଷେ ବଇଷ୍ଣବ ପଳାଇଯିବାକୁ ନ ମିଳେ ରାହା ।୪।

 

ବୃକ୍ଷ

-

ପିତଃ ! ମାତାଙ୍କୁ ଦୁଖଃର କାରଣ ପଚାରନ୍ତେ ସେ ମୋତେ ଉତ୍ତର ନ ଦେଇ ଭୁଲାଇ ଦେଲେ । ଏ ଚିନ୍ତାର କାରଣ ତୁମ୍ଭ ମୁଖରୁ ଶୁଣି କିପରି ମୋ ହୃଦୟରୁ ଦୁଃଖ ଦୂର କରିବି - ମୋତେ ଶୀଘ୍ର ମନ ଫେଇ କହନ୍ତୁ ?

ରାଜା

-

ବତ୍ସରେ ! ମୋତେ କିସ ପଚାରୁଛୁ ତୋର ଅଧମ ତାତକୁ, ନୁହଇ ଜନକ; ଯମ ଅଟେ ମୁହିଁ ତୋର ।

(ଗୀତ)

କହିବାକୁ ନ ବଳେ ମୋ ସତ ଆରେ ସୁତ । ପଦ । ଆସି ଦ୍ୱିଜବର ମାଗିଲା ଆହାର ଆଗେ କରାଇଣ ସତ୍ୟରେ ।୧। ନ କରି କପଟ ସତ୍ୟ କଲି ଝଟ, ଫଳିଲା ଫଳ ଅଦ୍ଭୁତରେ ।୨। ବୋଇଲା ତୋ ବିଶ୍ୱକେସନେ ତୋ ହସ୍ତେ ଖଡ଼୍‌ଗେ କରିବୁ ନିପାତରେ ।୩। ତୋ ରାଣୀ ସେ ମାସଂ ରାନ୍ଧି ପରଷନ୍ତେ ଭୁଞ୍ଜି ହୋଇବି ତୃପତରେ ।୪। ହୁଏ ବିପ୍ରବର କ୍ଷୁଧାରେ ଅଧୀର, ବଇଷ୍ଣବ ରଚେ ଗାତରେ ।୫।

 

ବୃକ୍ଷ

-

ହେ ପିଅର ! ଏହି ସାମାନ୍ୟ କଥାକୁ ମନେ ଘେନି ସର୍ବେ ରୋଦନ କରୁଛ ଘନଘନ । ଏ ତ ବଡ଼ ଆନନ୍ଦର ଚିହ୍ନ; ବୁଝାଇ ଦେଉଛି ଶୁଣ ଜନକ ଜନନି !

(ଗୀତ)

[ମିତ ଚାହାଁ ଏ ପରା - ବୃତ୍ତେ]

ପିତା ଭାବନା ଆଉ, ସତ୍ୟ ପାଳ କ୍ଷିତି ପରେ କୀରତି ଥାଉ ।ପଦ। ଧର୍ମ ତୁଲେ ପୀରତି କରିଲେ ନରପତି, କାଳଦଣ୍ତୁ ବରତି ଅରଜିବ ବିଭୂତି, ଆରତି ଜନ ପରି ନିରତେ ହୋଇ ଘାରି ତେଜନି ଦାଉ ।୧। ଜନମ ହେଲେ ମର ଭୂମେ ମରନ୍ତି ନର, ବାଳ ବୃଦ୍ଧ ଯୁବକ ଜ୍ଞାନ ନାହିଁ ଯମର, ଏହି ମହାସମର, କେ କାହା ପୁତ୍ର କା’ର କେ କାହା ବୋହୂ ।୨। ହୁଅନ୍ତେ ମୃତ୍ୟୁକାଳ, ମିଳି ଶ୍ୱାନ ଶୃଗାଳ, ଏ ଶରୀର କବଳ କରିଥାନ୍ତେ କେବଳ । ଭୂଞ୍ଜିଣ ସେହି ମାଂସ ବିପ୍ର ହେବ ସନ୍ତୋଷ କି ଭାଗ୍ୟ ତହୁଁ ।୩। କରେ ଘେନି ଖଡ଼ଗ, ହାଣ ହେ ବେଗ ବେଗ, ହୃଦର ଅନୁରାଗ ପିତା କରିଣ ତ୍ୟାଗ; ଲେଖନ୍ତୁ ନର ନାଗ ଦେଖନ୍ତୁ ମହାଯାଗ ବଇଆ କହୁ ।୪।

 

ରାଜା

-

ହେ ଅଷ୍ଟବସୁ, ନବଗ୍ରହ ! ପବନ ଅନଳ ବୈଶ୍ୱାନର

 

 

ଚରାଚର ଭୂଚର ଖେଚର ଗିରି ନଦୀ

 

 

ବୃକ୍ଷ ଗୁଳ୍ମ ଲତା ପଶୁ ପକ୍ଷୀ

 

 

ସାକ୍ଷୀ ଥାଅ, କୀଟ ପତଙ୍ଗାଦି,

 

 

ଆଦି ଯେତେ ଦେବ ଦେବୀ

 

 

ବ୍ରହ୍ମା ବିଷ୍ଣୁ ଶିବ ନିରାକାର

 

 

ଚାରି ଦେବ ହକାର ମକାର ସକାରାଦି

 

 

ତୁମ୍ଭେମାନେ ଶୁଣିଥାଅ କର୍ଣ୍ଣେ

 

 

କର୍ଣ୍ଣ ନିଜ ସତ୍ୟ ପାଳି ପୁତ୍ରେ

 

 

ସଂହାର କରୁଛି ଏହି ଶାଣିତ ଖଡ଼ଗେ

 

 

ତୋଷିବାକୁ ଫଳଦାନେ ବୁଭୁକ୍ଷିତ ବିପ୍ରେ ।

 

 

ଦୋଷ କେଭେ ନ ଧରିବ କେହି

 

 

ଧର୍ମରକ୍ଷାପାଇଁ କରେ କର୍ଣ୍ଣ ଶରୀର ପତନ ।

 

(ନିଜ ପୁତ୍ର ଅନ୍ତର୍ଦ୍ଧାନ; ମାୟାପୁତ୍ର ମସ୍ତକ ହାଣି ରାଣୀ ପାଣେ ଦେବା)

 

 

 

ପ୍ରିୟେ ! ଶୋକ ପରିହରି ମାଂସ ରନ୍ଧନ କର । ମୁଁ ଦ୍ୱିଜକୁ ସ୍ନାନ କରାଉଛି ।

 

 

(ପ୍ରସ୍ଥାନ)

ରାଣୀ

-

ଦ୍ୱାରି ! ନେ ଏ ମୁଣ୍ତକୁ ଗମ୍ଭିରୀ ଘରେ ଲୁଚାଇ ରଖିବୁ । ବିପ୍ର ଗଲେ ପୁତ୍ର ମୁଣ୍ତ କୋଳେ ଧରି ଟିକିଏ କାନ୍ଦିବି ।

 

 

(ମୁଣ୍ତନେଇ ଦ୍ୱାରୀର ପ୍ରସ୍ଥାନ)

 

[ଚତୁର୍ଥ ଦୃଶ୍ୟ - ରାଜା ଓ ବିପ୍ରର ପ୍ରବେଶ]

 

ବିପ୍ର

-

ଆମ୍ଭର ସେ ଦାନରେ ପ୍ରୟୋଜନ ନାହିଁ ।

ରାଜା

-

କହ କି ନିମନ୍ତେ କ୍ରୋଧ କର ହେ ଗୋସାଇଁ ?

ବିପ୍ର

-

ସତ୍ୟ କରି ଉପବାସ କରୁଛୁ ପାପିଷ୍ଠ !

ରାଜା

-

ଏହା ପରେ ଦିଅ ଆଉ କଷ୍ଟ ?

ବିପ୍ର

-

ଭଣ୍ତପଣେ ରାଣୀ ମୁଣ୍ତ ଲୁଚାଇଛି ତାର

ରାଜା

-

ଖଣ୍ତ ଦୋଷ ତାହା ମୁଁ ଜାଣେନା ଦ୍ୱିଜବର !

ବିପ୍ର

-

ନ ଜାଣୁ ଯେବେ କାରଣ ଯାଇ ବୁଝି ଆସ

ରାଜା

-

ଯାଉଅଛି ବୁଝି ଆସି କହିବି ସନ୍ଦେଶ ।

 

 

(ରାଜା ରାଣୀପାଶେ ମିଳି)

ରାଜା

-

ପ୍ରିୟେ ! ଦ୍ୱିଜବର କୂଟ ମନ୍ତ୍ରଣା ନ ପାରଇ ବୁଝି

 

 

ବାଳୁତ ପରାୟେ କିସ କହେ ଦ୍ୱିଜବର ।

 

 

କହେ, ରାଣୀ ତୋର ଲୁଚାଇଛି କୁମର ମସ୍ତକ

 

 

କରିବ ରୋଦନ ସୁତଶିର କୋଳେ ଧରି

 

 

ମୁହିଁ ଏଥୁ ଗଲା ପରେ ।

 

 

ପ୍ରିୟେ ! ଯଦି ସ୍ନହରେ ବନ୍ଧନେ ପଡ଼ି କରିଥାଅ

 

 

ଏହା ତେବେ କେ କହିଲା ଏଥୁ ଯାଇ ଦ୍ୱିଜଆଗେ

 

 

ପଦ୍ମାବତୀ, କହିବ ପ୍ରକୃତ କଥା ମୋହର ଆଗରେ ।

 

(ଗୀତ)

 

ବାରଣଗତି, ମୋ ରାଣ ଦେଉଛି କହିବୁ ମୋତେ, ଅକାରଣ କିପାଁ କଷ୍ଟ ଦେଉ ବିପ୍ରବର ଚିତ୍ତେ ।ପଦ। ଲୁଚାଇଲୁ ପୁତ୍ରମୁଣ୍ତ, ଜାଣି ବିପ୍ର କୋପେ ଚଣ୍ତ, ସ୍ୱରୂପ କରି ଧାରଣ ପେଷିଲା ତବ ଅଗ୍ରତେ ।୧। ସତ କହିବୁ ଚ୍ଛଇଳା, କିଏ ଏ କଥା କହିଲା, ମୋ ସତ୍ୟ ନଷ୍ଟ ହୋଇଲା ଜାଣିପାରିଲା କେମନ୍ତେ ।୨। ନୁହେ ସେ ସାମାନ୍ୟ ଜନ, ଚନ୍ଦ୍ରମୁଖୀ ଦେଖ ଚିହ୍ନ, ରଖିଥିଲେ ତୁ ରନ୍ଧନ କରି ଦିଅ ତାର ପତ୍ରେ ।୩। ଗଲାଣି ତ ଗଲା କଥା, ନ ଫେରିବ କଲେ ଚିନ୍ତା, ବଇଷ୍ଣବ କବିତା ବୃଥା ହେବ ଶ୍ରମ ଏତେ ।୪।

 

ରାଣୀ

-

ପ୍ରାଣେଶ୍ୱର !

 

 

ଯାଇ ଦ୍ୱିଜବରେ ଶାନ୍ତ କର ।

 

 

କେମନ୍ତେ ଜାଣିଲେ ଏହା,

 

 

କ୍ଷମା ମାଗ ପଦେ ଶତେବାର ।

 

 

ହେ ରାଜନ ! ଯାଇଣ ଗମ୍ଭିରୀ ଘରୁ ଆଣି

 

 

ପୁତ୍ରଶିର କରୁଛି ରନ୍ଧନ ।

 

 

ଭାବିଥିଲି ଦ୍ୱିଜ ଗଲେ ଧରି ମୁଣ୍ତ କରିବା କ୍ରନ୍ଦନ ।

 

 

(ସମସ୍ତଙ୍କର ପ୍ରସ୍ଥାନ)

 

 

(ଚାକର ଚାକରାଣୀ ଫାର୍ଶ)

ପୁ

-

କାହୁଁ ଆସିଅଛି ଲୋ ଅପା, ମଣିଷଗିଳା ଏ ବ୍ରାହ୍ମୁଣ ଗୋଟା ।

ସ୍ତ୍ରୀ

-

ମୁଣ୍ତ ଲୁଚାଇଣ ରଖିଥିଲା ରାଣୀ କେମନ୍ତେ ଜାଣିଲା ସେ ବୁଢ଼ା ଖେଣ୍ଟା ।ପଦ।

ପୁ

-

ନିଶ୍ଚେ କାନପିଚାଶୀପଢ଼ା, ଅଟଇ ସେ ବୁଢ଼ା ଥୋବଡ଼ା ।

ସ୍ତ୍ରୀ

-

ମୁଁ ଜାଣେ ଦଇତ ଅଟଇ ସେହି ତ ମଣିଷ ରୂପରେ କାଢୁଚି ଛଟା ।୧।

ପୁ

-

ସରିଗଲେ ରାଜା ବଅଁଶ, ଗିଳିବ ଲୋ ଆମ ମାଉଁସ ।

ସ୍ତ୍ରୀ

-

ଭଲ ଭଲ ମିଠା ମାଲ ସାରିଦେଇ ଦରାଣ୍ତିତ ସବା ଶେଷକୁ ଖଟା ।୨।

ପୁ

-

କରୁ କରୁ ବନ୍ଦନା ପାଲା, ଓଲଟାଇ ଦେଲୁ ମାମଲା ।

ସ୍ତ୍ରୀ

-

କାହିଁ ଭାବ ନେଇ କାହିଁରେ ଲଗାଉ ନିଅଁ ଖୋଳିଲୁନି ନ ପୋତି ଇଟା ।୩।

ପୁ

-

ନ ବାଛିଣ ଧାନ ଅଗାଡ଼ି, ମନକୁ ମୋ ଦେଲୁ ବିଗାଡ଼ି ।

ସ୍ତ୍ରୀ

-

ବଇଷ୍ଣବ ଭଣି ବଣିକ ବଣିଆ ଚିହ୍ନେ, ତୁ କି ଜାଣୁ ତା ଭାଉବଟା ।୪।

 

 

(ପ୍ରସ୍ଥାନ)

Image

 

ତୃତୀୟ ଅଙ୍କ

[ପ୍ରଥମ ଦୃଶ୍ୟ - ରାଣୀହଂସପୁର; ରାଜା ରାଣୀର ପ୍ରବେଶ]

 

ରାଣୀ

-

ପ୍ରାଣପତି ! ସରିଲାଣି ରନ୍ଧନର କାର୍ଯ୍ୟ;

 

 

ଦ୍ୱିଜେ ନେଇ ଚଳ ତବ ମଢ଼ ପଲ୍ଲିଯାଏ ।

 

 

ଏତେ କିପାଁ କାତର ସେ ଯୋଗେ,

 

 

ଜଣାଅ ତାହାଙ୍କୁ ଅନୁରାଗେ

 

 

ପକାନ୍ତୁ ପତର ଚିତ୍ତେ ଆନ ନ ବିଚାରି ।

(ଗୀତ)

ଆତୁର ନ ହୁଅ ନାଥ,ପତର ପକାଅ ଯାଇଁ, ବ୍ୟସ୍ତରେ କାତରେ କ୍ଷୁଧାତୁରେ ଦ୍ୱିଜ ଥିବେ ଚାହିଁ ।ପଦ। ହରାଇ ହାତର ପାଞ୍ଚ, ବସି ମନେ କିସ ପାଞ୍ଚ, ନାଶିବ ସୁକୃତ ତବ ନାମେ ନିନ୍ଦାବାନା ବାଇ ।୧। କାନ୍ଦି କାନ୍ଦି ଗଲେ ମରି, ପୁତ୍ର କି ଆସିବ ଫେରି, ଯେତେ ଯେ କହିଲେ ନାରୀ-ହୃଦ ବାଧା ନ ମାନଇଁ ।୨। ବିଳମ୍ବ ଦେଖନ୍ତେ ଦ୍ୱିଜ, ଯିବେ ଫେରି ନିଜ ରାଜ୍ୟ, ନଷ୍ଟହେବ ଇଷ୍ଟକାର୍ଯ୍ୟ ଅଯଶ ଘୋଷିବ ମହୀ ।୩। ସରିଲାଣି ରନ୍ଧାଧନ୍ଦା, ବଢ଼ାଅ ଭୋଜନ ଫନ୍ଦା, ବଇ ଭାଷେ ଦମ୍ଭଦ୍ରୁମ ଟଳେ ମନ୍ଦବାତ ବହି ।୪।

 

ରାଜା

-

ରାଣି ! ତେବେ ଯାଇଁ ଦ୍ୱିଜବରେ କହିବି ସମସ୍ତ

 

 

(ଦ୍ୱିଜପାଶେ ରାଜା ପ୍ରବେଶ)

 

 

ଶୁଣ ମହୀଦେବ, ବହି ଦୟା

 

 

ତେଣେ ହୋଇଲାଣି ପ୍ରସ୍ତୁତ ସକଳ ।

 

 

ରାଣୀ ଯାକୁ ଲୁଚାଇଣ ଥିଲେ ଗମ୍ଭାରିରେ

 

 

ଶୁଣି ମୋଠାରୁ ଏମାନ

 

 

ଆଣି ପୁଣି କରିଲେ ଆମ୍ବିଳ ।

(ଗୀତ)

ଆସ ବିପ୍ରମଣି ବସ ଏ ଅସନେ ଆଶନ ପ୍ରସ୍ତୁତ ହେଲାଣି । ପୂରାଅ କାମନା କୃପାନେତ୍ରେ ଅନା ଯାହା ଥିଲା ତାହା ଗଲାଣି । ହୋଇଣ ସନ୍ତୋଷ ମାଂସ କରି ଗ୍ରାସ ହରଷରେ ହୁଅ ମେଲାଣି । ହେଉ କ୍ଷୁଧା ଦୂର ଏ ଶିରେ ଭିଦୁର ପଡ଼ି ଏତେ ସରି କଲାଣି ।୧। ପୁର୍ବ ଅପରାଧ ତେଜ ତେଜି କ୍ରୋଧ, ଏ ତ ନୁହେ ମନ ଭୁଲାଣି । ସହିଚି ଏ ଦେହ ଯେତେ ସହିବାର ସୁଖର ନିଶି ପାହିଲାଣି ।୨। ଆସ ଉସତରେ ବସ ଏ ପତରେ ଖାଦ୍ୟ ପରଷି ଯିବେ ରାଣୀ । ବଇଷ୍ଣବ କବି ମୁଣ୍ତେ କିପାଁ ପବି ନ ପଡ଼େ ଏତେ କଥା ଶୁଣି ।୩।

 

ବ୍ରାହ୍ମଣ

-

ରେ ପ୍ରଚଣ୍ତ ମାର୍ତ୍ତଣ୍ତପୁତ୍ର କର୍ଣ୍ଣ !

 

 

ଯେବେ ତୋର ମନେ ଥିଲା ଏତେ କାଣ୍ତ,

 

 

କିପାଁ ଭଣ୍ତିଲୁ ତୁ କ୍ଷୁଧାର୍ଥା ବିପ୍ରକୁ ?

 

 

କିପାଁ ଖଣ୍ତେ ପତ୍ର ତୁ ପକାଉ,

 

 

ବାକି ତିନି ଖଣ୍ତ ପତ୍ର କାହିଁ ?

ରାଜା

-

ଦ୍ୱିଜମଣି ନ ପାରଇ ବୁଝି ଏହା ଅର୍ଥ,

 

 

ଆଉ କେ ଭୁଞ୍ଜିବ ପତ୍ର ପଡ଼ିବ କା ଲାଗି ?

 

 

କେହି ତ ନାହାନ୍ତି ତୁମ୍ଭ ସଙ୍ଗୀ ।

ବ୍ରାହ୍ମଣ

-

ଶୁଣ ଅଙ୍ଗରାଜ, ସେହି କଥା ପରିହାସ ନ କରିବୁ ଶୁଣି

(ଗୀତ)

ରେ ଭଣ୍ତ ପାଷଣ୍ତ ପତ୍ର ଏକ ଖଣ୍ଡ ପକାଇଲୁ କିସ ପାଇଁରେ ? ଭଣ୍ତିବୁ କି ମୋତେ ବିଚାରୁଛୁ ଚିତ୍ତେ ତଣ୍ତୁ ନାହିଁ ତୋତେ ମୁହିଁରେ ।ପଦ। ପକା ତିନିଖଣ୍ତ ଆହୁରିରେ ଚଣ୍ତ କିପାଁ ତୁଣ୍ତ ଫିଟୁ ନାହିଁରେ । ମୋ ସଙ୍ଗରେ ବସି ପିତା ମାତା ପୁତ୍ର ଭୁଞ୍ଜିବ ଏକତ୍ର ହୋଇରେ ।୧। କରୁ ଯେବେ ଏ ମାଂସ ନ କରିବୁ ଗ୍ରାସ ବିଷ ନିଶ୍ଚେ ଅଛୁ ଦେଇରେ । ହେଉଛି ବିଶ୍ୱାସ, ରାଜା ଦୀର୍ଘଶ୍ୱାସ ନ ପକା ତୁ ଛିଡ଼ା ହୋଇରେ ।୨। କରୁ ଯେବେ ଡେରି ଯିବି ଗୃହେ ଫେରି ଜାଣିଥାଅ ନରସାଇଁରେ । ଅନନ୍ତକାଳରେ ଅନନ୍ତ କକ୍ଷଣ କାଳଦୂତ ଦେବେ ନେଇରେ ।୩। ହୃଦ-ଆହାଲାଦେ ବାଢ଼ି ନରମେଦ ଦାଣ୍ତେ ଡାକ ପୁତ୍ରେ ଯାଇଁରେ । ଭାବେ ବଇ ଦ୍ୱିଜ ନ ମଣ ତୁ ବ୍ୟାଜ ଅଭିଶାପେ ଦେବି ଦହିରେ ।୪।

 

ରାଣୀ

-

ପ୍ରାଣନାଥ ! ଏ କି କଥା କହନ୍ତି ବ୍ରାହ୍ମଣ,

 

 

ପ୍ରକୃତରେ ପାଗଳ ଗୋସାଇଁ ।

 

 

ପଡ଼ି ପାଗଳ କଥାରେ

 

 

ଦେଇ ବସିଲୁଁ ଖଣ୍ଟକୁ ଅରଜିଲା ଧନ ।

 

 

ହେ ସୁବେଦୀ ଦ୍ୱିଜ !

 

 

କିପାଁ ବୃଥା ବୋଧଦିଅ ମନକୁ ଆମ୍ଭରି

 

 

ବୋଧ ନୁହେ କହି କ୍ରୋଧ ଉଦେ କର ହୃଦେ ?

 

(ଗୀତ)

[ଯେତେ ଏତେ କଥା ଚିନ୍ତାମଣି - ବୃତ୍ତେ]

 

ବାତୁଳ ପରାଏ ଦ୍ୱିଜ, ବଚନ ନ ଭାଷ ହେ । ପାଇବୁଁ କି ପୁତ୍ର ଦେଲେ ତବ ମୁଖେ ବିଷ ହେ ।ପଦ। ତାତ ମାତ ସୁତମାଂସ କେସନେ କରିବେ ଗ୍ରାସ, ଜଗତେ ଏ ବାଣୀ ଶୁଣି ନ କହିବେ କସି ହେ ।୧। ଯାକୁ କ୍ଷୀର ନୀର ଖୋଇ, ଆଦର ଥିଲୁ ବଢ଼ାଇ, ତାକୁ ଭକ୍ଷିବାକୁ କେହ୍ନେ ବଳିବ ବା ଆଶା ହେ ।୨। ସ୍ୱହସ୍ତେ ହାଣି ଯା ମୁଣ୍ତ, କାଟି କଲୁ ଖଣ୍ତ ଖଣ୍ତ, ସେ କି ଆସିଣ ମୋ କୋଳେ ହୋଇବ ପ୍ରବେଶ ହେ ।୩। ପୁଣି ଖାଇବ ଏ ପତ୍ରେ, ଦେଖିବୁଁ ଏ ପାପନେତ୍ରେ, ଛଳ ନା ଛଳ ନା ବଇ ରଚଇ ଏ ରସ ହେ ।୪।

 

ବ୍ରାହ୍ମଣ

-

ରେ ନରାଧମ ବିପ୍ର ନିନ୍ଦୁକ ଅଙ୍ଗପତି !

 

 

ନ ଜାଣୁ କି ବ୍ରହ୍ମକୋପାନଳେ

 

 

ଭସ୍ମ ହେଲେ ଷାଠିସସ୍ର ସଗର ସନ୍ତାନେ ?

 

 

ନ ଜାଣୁକି ଯଦୂବଳ ବ୍ରହ୍ମଶାପେ ହୋଇଲେ ନିର୍ମୂଳ ?

 

 

ନ ଜାଣୁ ଅଗସ୍ତି ବ୍ରେହ୍ମଣ ଶୋଷିଥିଲେ ସପତ ସାଗର;

 

 

ଆସିଲେ ଆତାପି ବାତାପି ବେନି ଦୈତ୍ୟ ?

 

 

ଜାଣିଛି ମୁଁ ତୋର ଭାଲେ ଅଛି ମନ୍ଦଦଶା

 

 

ତା ନୋହିଲେ ରସାନାଥ, ଭାଷାକୁ ଆମ୍ଭର

 

 

ଅବହେଳା କରନ୍ତା କି ତୋହର ଗୃହିଣୀ !

(ଗୀତ)

ମିଛ ମଣୁ ମୋ ଭାରତୀ ନୀଚ ପରି ଆରେ ଦଣ୍ତଧାରି ! ତୁଚ୍ଛ କରେ ମୋ ଆଜ୍ଞାକୁ ତୋର ନାରୀ । ପଦ । ବେନି ଜନେ ଚଳିଯାଇ ଚାଣ୍ତେ, ତୋ ବୃକ୍ଷକେତୁକୁ ଡାକ ଦାଣ୍ତେ, ପାଞ୍ଚନାରେ ଲେଶ ଭୂତ ବା ଭବିଷ୍ୟ ନ ମିଶା ବିଷ ପୀୟୁଷ ଭାଣ୍ତେ । ତୁଣ୍ତ ଶୁଣି ଆସି ମାଆ ମାଆ କହି କାଖେ ଯିବ ବସି ।୧। ଅନାଇ ବସିଛି ଏଥି ମୁହିଁ, ତୁମ୍ଭ ଫେରିବାର ପଥ ଚାହିଁ । ଚାଟେ ଘେନି କୋଳେ ଭେଟ ତତକାଳେ ହଟ କରନାରେ ନରସାଇଁ । ଉଠି ଯା ଯା, ଯା ଯା; ମେଣ୍ଟନାହିଁ ଦ୍ୱିଜ ଆଜ୍ଞା ଅଙ୍ଗରାଜା । ଖାଇବା ଏ ମାଂସ ଚାରି ଜଣେ ।୨। ବଣା ନୁହ ଆଉ ଦେଖ ବଣେ । ବେଦପାଠୀ ବଇଷ୍ଣବ ଛନ୍ଦେ ପଦ ସଦ-ଜ୍ଞାନେ ଧ୍ୟାୟି ନାରାୟଣେ । ଯାହା ମନ ଯାହା; ହୁଏ ତା ବିନା ଆନ କି ଜଣେ ତାହା ।୩।

 

ରାଜା

-

ରାଣୀ ପଦ୍ମାବତି !

 

 

କିପାଁ ବୃଥା ଆପତ୍ତି କରିବା ଏଥି ଆଉ

 

 

ଚାଲ, ମାନି ପାଗଳା ବିପ୍ର - ବଚନ ଯିବା ରାଜପଥେ;

 

 

ଡାକିବା ଆମ୍ଭର ମୃତ ବିଶ୍ୱକେସନକୁ ।

 

 

ସାଗର ଗରଭେ

 

 

ବୁଡ଼ିଥିବା ନଉକା କି ମିଳିଛି କାହାକୁ ?

 

 

ଝଡ଼ିଲା ସୁମନ କେବେ ଲାଗିଛି କି ଗଛେ ?

 

 

ଅମା ଅନ୍ଧକାରରେ ଉଇଁଛି କି ପୂର୍ଣ୍ଣଶଶୀ ?

 

 

ଏହି କଥା ସେହିପରି ଜାଣ ଶଶିହାସି !

 

 

(ଉଭୟ ଦାଣ୍ତେ ପ୍ରବେଶି)

ରାଣୀ

-

ରେ ବାପ ବିଶ୍ୱକାସନ, କାହିଁ ଅଛୁ, ଆସ

 

 

ଅନ୍ଧର ନୟନ ଆମ୍ଭ ଦରିଦ୍ର ସଙ୍ଖାଳି

 

 

କେଣେ ଅଛୁ, ଆସରେ ଚଞ୍ଚଳ ।

(ଗୀତ)

ଆସରେ ବିଶ୍ୱକେସନ, ଆମ୍ଭ କାଖେ ବସ ଆସି । ମାଆ ଡାକି ତୁମ୍ଭେ ଆମ୍ଭ ଶୋକସିନ୍ଧୁ ପକା ଶୋଷି ।ପଦ। ସତେ କି ଉଇଁବ ନଭେ ଅମା ଅନ୍ଧାରରେ ପୂର୍ଣ୍ଣମୀ ଶଶୀ, ଭସ୍ମ ହୋଇଥିବା ଜନ ନିଜ କଳେବରେ ଯିବ ଦିଶି ।୧। ଅବସନ୍ତେ ବହିଣ ବସନ୍ତ ପଲ୍ଲବିବ କିରେ ଦ୍ରୁମରାଶି, ପର୍ବତେ ଫୁଟି ପଙ୍କଜ ଦିଶ ମହକାଇ ଦେବ ବାସି ।୨। ଗିରୀଷମେ ବଳାହକ ତହିଁ ମହୀରେ ଯିବ ବରଷି, କୁଳଟାଏ କୁଳନାରୀ ହେବେ ବିପ୍ର ବଇଷ୍ଣବ ଭାଷି ।୩।

 

 

 

(ବୃଷକେତୁର ପ୍ରବେଶ)

ବୃଷକେତୁ

-

ମା’ ମା’ ! କିପାଁ ହୋଇ ବ୍ୟସ୍ତ ଏତେ ଡାକୁଅଛ ମୋତେ ?

 

 

ପିତା ! କିପାଁ ଆଜି ନେତ୍ରେ ନୀର ଜରଜର ତବ;

 

 

ଅସ୍ପଷ୍ଟ ଭାରତୀ କିପାଁ ଭାଷ ବେନିଜନେ ?

 

 

ଭୁଲି କି ଗଲ ମନରୁ ମୋର ବିଦ୍ୟାଶିକ୍ଷା;

 

 

ଯାଇଥିଲି ପରା ଆଚାର୍ଯ୍ୟଙ୍କ ଆଳେ ପଢ଼ି ପାଠ

 

 

କି ନିମନ୍ତେ ଡାକ ଏତେବେଳେ ରାଜପଥେ

 

 

ହୋଇନାହିଁ ବେଳ ତ ଉଛୁର ।

ରାଜା

-

(ପୁତ୍ରକୁ କୋଳେ ଧରି)

 

 

ହାୟ ହାୟ, କି ସୁଯୋଗ ଦେଲୁ ଆମ୍ଭେ ଛାଡ଼ି ।

 

 

ପ୍ରିୟେ ! ପ୍ରକୃତରେ ନୁହନ୍ତି ସେ ଦ୍ୱିଜ;

 

 

ନିଶ୍ଚେ ଅନ୍ତର୍ଯ୍ୟାମୀ ଆସିଥିଲେ ଆମ୍ଭେ ମନ ବିଡ଼ିବା ନିମନ୍ତେ

 

 

ଆଉ କି ସେ ରହିଥିବେ ଆମ୍ଭ ଯିବାଯାଏ !

(ଗୀତ)

ହେଜ ଆରେ ସତି, ଦ୍ୱିଜ ସେ ନୁହନ୍ତି ଚାଲ ତାଙ୍କ ପଦ ସେବିବା । ନିଶ୍ଚେ ଶିରୀପତି ଆସିଛନ୍ତି ଏଥି ଫେରିଯିବେ ଯେବେ ଭାବିବା ।ପଦ। ଦେହ ପବିତ୍ର ହେବ ହେଲେ; ଛାର ପୁତ୍ର କୋଳେ ଧଇଲେ ଏକାଳେ ତହୁଁ କେତେ ମୁକ୍ତି ଲଭିବା ।୧। ଯା’ କୁ ସ୍ୱହସ୍ତେ କଲୁ ନାଶ, ସେ ଆସିଲା କାହୁଁ ପୁଣି ପ୍ରାଣ ପାଇ ବ୍ରାହ୍ମଣ ପୟରେ ପଡ଼ିବା ।୨। ଯା’ କୁ ଭଜନ୍ତି ବ୍ରହ୍ମା ଶିବ, କୋଟି କୋଟି ଯୋଗୀ ଯା’ରେ ଅନୁରାଗୀ, ତାହା ନାମ ମଜ୍ଜି ଦ୍ରବିବା ।୩। ସତେ ଥିବେ କି ସୀତାନାଥ, ହୃଦ ସିଂହାସନେ ରଖି ତୋଷମନେ ବଇ ସେବିବ ନିଶି-ଦିବା ।୪।

 

ରାଣୀ

-

ପ୍ରାଣେଶ୍ୱର !

 

 

ଜାଣୁଅଛି ନ ଥିବେ ସେ ଆମ ଯିବାଯାଏ ।

 

 

ଓହୋ, କି କୁହୁକ ଲାଗିଲା ଏଠାରେ

 

 

ଯେ ପୁତ୍ରର ମାଂସ ମୁହିଁ ରାନ୍ଧିଲି ସ୍ୱହସ୍ତେ

 

 

ପତ୍ରେ ବାଢ଼ି ଦେଇଣ ଆସିଲି ଦ୍ୱିଜ ଆଗେ,

 

 

ସେ ପୁତ୍ରକୁ ପାଇଲି ଏଠାରେ !

 

 

ସେ ମାଂସ କାହାର ?

 

 

ସେ ଦ୍ୱିଜ କିଏ ସେ ?

 

 

ସେ କି ନିମନ୍ତେ କଲେ ଏତେ ଛନ୍ଦ ?

 

 

ଜଣାଯାଏ, ଆମ୍ଭ ଦାନ-ପରୀକ୍ଷା ଅର୍ଥେ ଆସି ଲକ୍ଷ୍ମୀପତି

 

 

କସିବାକୁ ଆମ୍ଭ ମନ-କାଞ୍ଚନକୁ

 

 

ସତ୍ୟ ଧର୍ମ କଷଟି ପଥରେ ।

 

 

ଚାଲ କାନ୍ତ, ଥିବେ ଯେବେ ଆମ୍ଭ ଉଆସରେ

 

 

ପଡ଼ି ତାଙ୍କ ପଦତଳେ ଦୁହେଁ ଭକ୍ତିଭାବେ

 

 

ମାଗିନେବା ମୁକ୍ତିଫଳ ହେଳେ ।

 

 

(ପୁତ୍ର ଘେନି ଦ୍ୱିଜସ୍ଥାନେ ମିଳି ନ ଦେଖ)

ରାଜା

-

ହାୟ ପ୍ରିୟେ !

 

 

କାହାନ୍ତି ସେ ବିପ୍ରମଣି ଏଥି ?

 

 

ହାୟ ହାୟ କିଛାର ପୁତ୍ର ଲାଭରେ ତେଜିଲୁଁ କି ଧନ

 

 

ହେ ଅନାଥ ବନ୍ଧୁ ଜଗତ କରତା ଜଗନ୍ନାଥ

 

 

କେଣେ ଅଛି ଦିଅ ଦିଅ ଆଉଥରେ ଦେଖା

(ଗୀତ)

କେଣେ ଅଛ ଦିଅ ଦେଖା ହେ ଅନାଥବନ୍ଧୁ ହରି, ଚିହ୍ନି ନ ପାରିଲୁ ମାୟାପଟଳେ ହୋଇଣ ଘାରି ।ପଦ। ଛାର ପୁତ୍ରଧନେ ଲୋଡ଼ି, ଗଲୁ କି କାରଣ ଛାଡ଼ି, ଦେବଦେବ ଯା’ ଦର୍ଶନେ ନୁହନ୍ତି ତ ଅଧିକାରୀ ।୧। ଦେଖାଦିଅ ଜଗବନ୍ଧୁ, ଭକ୍ତ-ହୃଦାକାଶ-ଇନ୍ଦୁ, କାନ୍ଦୁ କାନ୍ଦୁ ଜୀବ ଯିବ ତୋ ଗୁଣ ସୁମରି ସ୍ମରି ।୨। କାଳେ ସୃଷ୍ଟି ଯାଏ ନାଶ, ଥାଉ ତୁହି ଅବଶେଷ, ନାହିଁ ତୋହର ବିନାଶ ନୀଳକନ୍ଦର ବିହାରୀ ।୩। ଜନ୍ମେ ଜନ୍ମେ ତୋ ଚରଣେ, ରହୁ ଚିତ୍ତ ଅନୁକ୍ଷଣେ, କଷ୍ଟ ହର ରଖ ବିପ୍ର ବଇଷ୍ଣବ ଗୁହାରି ।୪।

(ଦୈବବାଣୀ)

ଶୁଣ ଶୁଣ ମହାଦାନୀ କର୍ଣ୍ଣ ନୃପବର, ଧୈର୍ଯ୍ୟ ଧରି ରହ କେଭେ ନୁହରେ ଅଧୀର ।୧। କାଳେ କାଳେ ତୋ ସୁଯଶ ଗାଇବେ ସକଳେ, ସ୍ୱର୍ଗ ମର୍ତ୍ତ୍ୟ ପାତାଳେ ସୁତଳେ ରସାତଳେ ।୨। ତୋର ଦାନୀପଣ ଖ୍ୟାତ ଜାଣି ତିନିପୁରୀ, ମୁହିଁ ହରି ଗଲି ମନ ବିଡ଼ିବି ତୋହରି ।୩। ଆଶ୍ଚର୍ଯ୍ୟ ଘଟଣା ନରେ ଦେଖାଇଲୁ ତୁହି, ମାଗନ୍ତେ ଏ ଦାନ ଆଉ ନ ଦେବୁରେ କାହିଁ ।୪। ଅନ୍ତଃକାଳେ ସବଂଶ ବୈକୁଣ୍ଠ ଯିବେ ତୋର, ଏ ଅଟଳ ବାକ୍ୟ କେଭେ ନ ଟଳୁ ମୋହର ।୫।

 

ରାଜା

-

ହାୟ ! ମୁଁ କେଡ଼େ ପାପୀ, ପ୍ରଭୁଙ୍କୁ ଚିହ୍ନିପାରିଲି ନାହିଁ; ଛାର ପୁତ୍ର ଆଶାରେ ଏ ମହାଯୋଗ ନଷ୍ଟହେଲା । ହେ ଜଗବନ୍ଧୁ, ଯେପରି ତୋର ପଦପଙ୍କଜରେ କର୍ଣ୍ଣ-ମନଭ୍ରମର କାଳେ କାଳେ ରହି ମଧୂପାନ କରୁ, ମୋର ଏତିକି ପ୍ରାର୍ଥନା । ପ୍ରିୟେ ଚାଲ ଆଉ ଭାବିଲେ କି ହେବ ?

 

 

(ସମସ୍ତଙ୍କ ପ୍ରସ୍ଥାନ)

 

 

(ଚାକର-ଚାକରାଣୀଙ୍କ ପ୍ରବେଶ - ଗୀତ)

ପୁରୁଷ

-

କାହିଁକି ତୁ ତରତର ଏତେ ନାନି !

ସ୍ତ୍ରୀ

-

ଉଠ୍ ଉଠ୍, ବାଜିବ ଯେ ପିନ୍ଧାକାନି । ୧ ।

ପୁରୁଷ

-

ମାଇପଙ୍କ କାନି ସିନା ବାଜିବାକୁ ଅଛି ମନା ।

ସ୍ତ୍ରୀ

-

ଅଣ୍ତିରା-ଗଣ୍ତିରାଗୁରା ଏଡ଼େ ଜ୍ଞାନୀ । ୧ ।

ପୁରୁଷ

-

ଅଣ୍ତିରା କଣ କଲେ, ଗଣ୍ତିରା ଛଡ଼େଇ ନେଲେ ?

ସ୍ତ୍ରୀ

-

ନେଇଗଲେ ହେବ ନାହିଁ କିରେ ସାନି । ୨ ।

ପୁରୁଷ

-

ଯେବେ ତୋ ସାନିରେ ଇଚ୍ଛା, ମୋତେ ନେଇଯାଅ ଆଚ୍ଛା

ସ୍ତ୍ରୀ

-

ବଚେଇ ଜାଣୁ ନା ତାକ୍ ଧିନା ଧିନି । ୩ ।

ପୁରୁଷ

-

ତୋହର ଯେ ଅଛି ଧନ, ମାଗିବି ବଳିଛି ମନ ।

ସ୍ତ୍ରୀ

-

ଯାହା ମାଗ ତାହା ଦେବି ନାହିଁ ଗ୍ଲାନି । ୪ ।

ପୁରୁଷ

-

ପକେଇ ପୁରୁଣା ପୋଥି, ପଢୁଛନ୍ତି ଅଜା ନାତି ।

ସ୍ତ୍ରୀ

-

ସେ ପାପରୁ ମାଈ ଯେ ପିନ୍ଧିବ ଭୁନି । ୫ ।

ପୁରୁଷ

-

ଜିଇଥିବାଯାକେ ଘର, ସିନା ତୋହର ମୋହର ।

ସ୍ତ୍ରୀ

-

ବଇଆ ବୋଲେ ଗୁଡ଼ରୁ ହୁଏ ଚିନି । ୬ ।

ପୁରୁଷ

-

ଅପା, ସେ ବାହ୍ମୁଣ କୁଆଡ଼େ ଗଲା ?

ସ୍ତ୍ରୀ

-

ସେ ପରା ବାହ୍ମୁଣ ନୁହେ କୁଆଡ଼େ ଭଗବାନ୍ ଆଇଥେଲା ।

ପୁରୁଷ

-

ଭଗବାନ୍ କାହାର କଣ କରେ ?

ସ୍ତ୍ରୀ

-

ଯେ ଯାହା ମାଗେ, ତାକୁ ସନ୍ତୋଷ କରନ୍ତି ବରେ ।

ପୁରୁଷ

-

ହେ, ମୁଁ ହେଲେ ତାଙ୍କୁ ମାଗିଥନ୍ତି ତତେ;

ସ୍ତ୍ରୀ

-

ତୋଅରି ଭଳିଆ ଭକତେ କାଳିଆ ଦେଇଥାନ୍ତା ସିନା ମୁଥେ ।

ପୁରୁଷ

-

ମୁଁ ଯେବେ ଖାଇବି ମୁଥ, ତୁ କଣ କରିବୁ ?

ସ୍ତ୍ରୀ

-

କାଳକଯାକ ତୁ ପରର ଦେଖ ଧରସର ହେଇ ମରିବୁ ।

ପୁରୁଷ

-

ମୁଁ ପରା ତୋପରି ସମସ୍ତଙ୍କୁ ଆପଣାର କରି ଥାଏଁ

ସ୍ତ୍ରୀ

-

ଆଜି କିରେ ଚୁଲିଆ, ମୁଁ ପରା ତୋ ଗୁଣ ଗୁଣି ମରୁଥାଏଁ ।

 

 

(ଉଭୟର ପ୍ରସ୍ଥାନ)

Image